Sunday 29 July 2018

ସାଥୀ କାଳନ୍ଦୀ ଵିଶ୍ଵାଳଙ୍କ ସ୍ମୃତିରେ ପଦେ


ସାଥୀ କାଳନ୍ଦୀ ଵିଶ୍ଵାଳ ଆମ ସମସ୍ତଙ୍କୁ ଶୋକ ସାଗରରେ ଭସେଇ ଚାଲି ଗଲେ ନାହିଁ ଯେ, ଗୁରୁ ପୂର୍ଣ୍ଣିମାରେ ଭୁବନେଶ୍ୱର ଡ଼ାକମଣ୍ଡଳକୁ ସତେଯେମିତି ଗ୍ରହଣ ଲାଗିଗଲା । 

ଡ଼ାକ ବିଭାଗର ଜଣେ ନିଷ୍ଠାପର ତଥା କର୍ମଠ କର୍ମଚାରୀ ଭାବେ ଯେତିକି ଯୋଗ୍ୟତା ଥିଲା, ଏନ୍ ଏଫ୍ ପି ଇର ଜଣେ ଦୃଢ଼ ସଂଗଠକ ହିସାବରେ ତାଙ୍କର ସେମିତି ଖ୍ୟାତି ମଧ୍ୟ ଥିଲା । ସମସ୍ତଙ୍କର ପ୍ରିୟପାତ୍ର କାଳନ୍ଦୀଵାଵୁଙ୍କ ସଂଗଠନ ପ୍ରତି ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଅବର୍ଣ୍ଣନୀୟ । ଅଖିଳ ଭାରତ ତୃତୀୟ ଶ୍ରେଣୀ ଡ଼ାକ କର୍ମଚାରୀ ସଂଘ, ଭୁବନେଶ୍ୱର ମଣ୍ଡଳ ଯେତେବେଳେ ଏକ ସଂକଟମୟ ପରିସ୍ଥିତି ମଧ୍ୟରେ ଗତି କରୁଥିଲା, ମୂଖ୍ୟ ପୁରୋଧା ସାଜି ସେ ହିଁ ସମାଧାନର ସୂତ୍ର ଵାହାର କରିଥିଲେ । ସଵୁ ମାନ ଅଭିମାନ ଭୁଲି, ଵ୍ୟକ୍ତିଗତ ସ୍ୱାର୍ଥର ଵହୁ ଉର୍ଦ୍ଧ୍ଵରେ ସଂଗଠନର ସ୍ୱାର୍ଥକୁ ଗରୁତ୍ୱ ଦେଇ ଭୁବନେଶ୍ୱର ମଣ୍ଡଳର  ସମ୍ମାନ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । 

ମନେପଡେ ଖଣ୍ଡଗିରିଠାରେ ଅନୁଷ୍ଠିତ ଵାର୍ଷିକ ସାଧାରଣ ବୈଠକର କଥା । ଏନ୍ ଏଫ୍ ପି ଇର ଵଳିଦାନର ଗାଥା ଓ ସଫଳତାର କଥା ବଖାଣି ଅଭିମାନୀ ଵଂଧୁମାନଙ୍କୁ ଖୋଲା ଖୋଲି କହିଥିଲେ ଯଦି ପ୍ରକୃତ ଅର୍ଥରେ ଆମେ କର୍ମଚାରୀ ସମସ୍ୟାର ସମାଧାନ ଚାହାନ୍ତି, ତେବେ ହାତକୁ ହାତ ମିଳେଇ  ସମସ୍ତେ ଗୋଟିଏ ଛତାତଳେ ରହିବା ନିହାତି ଜରୁରୀ। ସଂପାଦକ ହିସାବରେ ମୁଁ ଅଙ୍ଗେ ନିଭେଇଛି ଏ ନିଛକ ସତକୁ । ତାଙ୍କର ଅଵର୍ତ୍ତମାନରେ ସମସ୍ତ କର୍ମଚାରୀ ଭାଇମାନେ ଏ କଥାର ଗୁରୁତ୍ୱ ହୃଦୟଙ୍ଗମ କରିବେ ବୋଲି ଆଶା ।

ଶାରୀରିକ ଅକ୍ଷମତା ତାଙ୍କର ପାରିଵାପଣ ଆଗରେ ହାର୍ ମାନିଛି । ଆମେ ସମସ୍ତେ ଯେତେବେଳେ ନିଜ ନିଜର କାମରେ ବ୍ୟସ୍ତ ଥାଉଁ, ସଂଗଠନ କାମରେ ଏ ଅଫିସରୁ ସେ ଅଫିସକୁ ଘୁରି ବୁଲୁଥାନ୍ତି ।  ହିସାବ ପତ୍ରରେ ପକ୍କା ମଣିଷଟିଏ । ସଂଗଠନର କୋଷାଧ୍ୟକ୍ଷର ଦାୟିତ୍ବ ବି ନିଖୁଣତାର ସହ ତୁଲାଉଥିଲେ । ପରେ ଯେମିତି କେହି ଅଙ୍ଗୁଳି ନ ଦେଖାନ୍ତି, ମୁଁ କଟକକୁ ଵଦଳିହୋଇ ଆସିବା ପୂର୍ବରୁ, ନିଜେ ମୋ ପାଖରେ ବସି ସମସ୍ତ ଆୟଵ୍ୟୟର ହିସାବ ଟିକି ନିକ ଵୁଝିନେଇଥିଲେ । କୃତଜ୍ଞ ମୁଁ ।

କେବଳ ସଂଗଠନ କାମ ନୁହେଁ, ଵିନା ଟ୍ରେନିଂରେ ସିବିଏସ୍ କାମ ପାଇଁ କର୍ମଚାରୀମାନେ ଯେତେବେଳେ ଘୋର ଅସୁବିଧାରେ ପଡୁଥିଲେ, ସାହାଯ୍ୟ ପାଇଁ ତାଙ୍କର ତତ୍କାଳୀନ ଉପସ୍ଥିତି କେହି କେବେ ଭୁଲି ପାରିବେନି ।

ମୋର ଠିକ୍ ମନେ ପଡେ, ଫାଷ୍ଟଟ୍ରାକ ପରୀକ୍ଷାରେ ଏଲ୍ ଏସ୍ ଜି ପ୍ରମୋସନ ପାଇ ମୁଁ ଯେତେବେଳେ ଉତ୍କଳ ୟୁନିଭରସିଟି ମୂଖ୍ୟ ଡାକଘରେ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟରେ ଯୋଗଦେଲି, ସଂଚୟପୋଷ୍ଟରେ କାମ କରିବାର କୌଣସି ଧାରଣା ମୋର ନ ଥିଲା କାରଣ ତା ପୂର୍ବରୁ ମୁଁ କେବେ ପୋଷ୍ଟ ଅଫିସ କାଉଣ୍ଟରରେ ଵସି କାମ କରି ନ ଥିଲି । କାଳନ୍ଦୀଵାଵୁ ସାହସ ଦେଲେ । କାମ ଠିକ୍ ଠାକ୍ ଚାଲିଲା । କହିଵାରେ ଆଦୌ ଦ୍ୱିଧା ନାହିଁ ଯେ ଅନେକ କାମ ମୁଁ ତାଙ୍କଠୁ ହିଁ ଶିଖିଛି । ସମୟ କେତେ ଦ୍ରୁତ ଗତିରେ ଆଗେଇ ଗଲା ଜଣା ପଡିଲନି । ପୁଣି ଏକାଠି କାମ କରିବାର ସୁଯୋଗ ମିଳିଲା ଅଶୋକ ନଗର ମୂଖ୍ୟ ଡାକଘରେ, ସେ ଯେତେବେଳେ ଏଲ୍ ଏସ୍ ଜି ପ୍ରମୋସନ ପାଇଲେ । କାଉଣ୍ଟରର ସମସ୍ତ କାମକୁ ଠିକଣା ଭାବେ ତଦାରଖ କରିନେଉଥିବାରୁ, ମୋ ଉପରେ କାମର ଚାପ ଯଥେଷ୍ଟ କମ୍ ରହୁଥିଲା ।

ନିଜର ଦେହ ଖରାପ ସତ୍ତ୍ବେ ଛୁଟିରେ ଥାଇଵି ଏବର ପୋଷ୍ଟମାଷ୍ଟରଙ୍କୁ କହୁଥିଲେ, "କିଛି ଚିନ୍ତା କରିବେ ନି ସାର୍ । ପାଦସବୁ ଫୁଲି ଯାଉଛି ବୋଲି ଡାକ୍ତର ଟିକେ ବିଶ୍ରାମ ନେବାପାଇଁ କହିଛନ୍ତି । ହେଲେ ମୁଁ ସନ୍ଧ୍ୟାରେ ଆସି ସାହାଯ୍ୟ କରିଦେବି ।" ଆଉ ଆସୁଥିଲେ ମଧ୍ୟ । କାରଣ ସାମ୍ପ୍ରତିକ ପରିସ୍ଥିତିରେ ଡାକ କର୍ମଚାରୀଟିଏ କିଭଳି ଦୁର୍ଦ୍ଦିନରେ ସମୟ କାଟୁଛି, ସେ ଠିକ ଵୁଝିଥିଲେ । ସି ଏସ୍ ଆଇ କିଭଳି କଷ୍ଟ ଦେଉଛି, ତାହା କେବଳ କାମ କରୁଥିବା ଲୋକମାନେ ହିଁ ଜଣନ୍ତି । ଟିକେ ସାହାଯ୍ୟ ମିଳିଲେ କେତେ କଥା !ଆଜିର ଦିନରେ ଏଭଳି ମାନସିକତା ଥାଇ ତାଙ୍କ ଭଳି ନିଷ୍ଠାପର କର୍ମଚାରୀଟିଏ ସତରେ ବିରଳ ।

ଅସମୟରେ ଚାଲିଗଲେ । ଗୋଟିଏ ଶୂନ୍ୟ ସ୍ଥାନ ସୃଷ୍ଟି  ହେଇଗଲା ଏନ୍ ଏଫ୍ ପି ଇ ଭୁବନେଶ୍ୱର ମଣ୍ଡଳ ତଥା ଓଡିଶା ପରିମଣ୍ଡଳରେ । ଭାରତୀୟ ଡାକ ଵିଭାଗ ଏକ ସଚ୍ଚୋଟ ଓ ନିଷ୍ଠାପର କର୍ମଚାରୀକୁ ହରେଇଲା ।

ଶୋକ ସନ୍ତପ୍ତ ପରିଵାରକୁ ଈଶ୍ବର ସହାୟ ହୁଅନ୍ତୁ ଏବଂ ଅମର ଆତ୍ମାକୁ ସଦ୍ ଗତି ପ୍ରାପ୍ତି ହେଉ, ଏତିକି ପ୍ରାର୍ଥନା ।

# ବୃହସ୍ପତି  ସାମଲ #
ପରିମଣ୍ଡଳ ସଂପାଦକ

No comments:

Post a Comment