ଗ୍ରାହକମାନଙ୍କୁ ତ୍ୱରିତ ତଥା ସଫଳ ସେବା ପ୍ରଦାନ ପାଇଁ ବଜାରରେ ସାମାଜିକ ଗଣମାଧ୍ୟମ ସହ ବୈଦ୍ୟୁତିକ ବିକଳ୍ପର ବହୁଳ ପ୍ରଚଳନ, ଡାକ ନେଣଦେଣ ପାଇଁ ସଙ୍ଗଠିତ ତଥା ଅସଙ୍ଗଠିତ କୋରିୟର ସଂସ୍ଥାମାନଙ୍କର ବଜାର ପ୍ରବେଶ, ସଞ୍ଚୟ ଓ ବୀମାକ୍ଷେତ୍ରରେ ବ୍ୟାଙ୍କ ଓ ବୀମା କମ୍ପାନୀ ମାନଙ୍କର ତୀବ୍ର ପ୍ରତିଯୋଗିତା ଯୋଗୁଁ ଭାରତୀୟ ଡାକ ଏବେ ବହୁ ଆହ୍ୱାନ ର ସମ୍ମୁଖୀନ । ତେଣୁ ସମସ୍ତ ଆହ୍ୱାନ ର ମୁକାବିଲା ସହ ଯୋଗାଯୋଗ କ୍ଷେତ୍ର ରେ ନିଜକୁ ଏକ ସମର୍ଥ ଓ ବିଶ୍ଵସ୍ଥ ସଂସ୍ଥାଭାବେ ତା’ର ତଥାକଥିତ ପ୍ରତିଷ୍ଠା କୁ ପୂର୍ବପରି ବଜାୟ ରଖିବା ପାଇଁ ଡାକ ବିଭାଗ ତା’ର ସମସ୍ତ ବ୍ୟବସାୟିକ ପ୍ରକ୍ରିୟା କୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅନୁକୂଳ କରି ଗ୍ରାହକମାନଙ୍କର ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ଆଜିର ଡିଜିଟାଲ ଦୁନିଆରେ ଦେଶବାସୀଙ୍କର ଆସ୍ଥାଭାଜନ ହେବାପାଇଁ କଠିନ ପ୍ରୟାସ ଜାରି ରଖିଛି । ଗୋଟିଏ ଛାତତଳେ ଗ୍ରାହକମାନଙ୍କୁ ସେମାନେ ଆବଶ୍ୟକ କରୁଥିବା ନିର୍ଦ୍ଧିଷ୍ଟ ସେବା ସବୁ ଯୋଗାଇ ଦେବା ପାଇଁ ଏବଂ ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ଭାରତୀୟ ଡାକ ତା’ର ସମସ୍ତ ୧.୫୬ ଲକ୍ଷ ଡାକଘରକୁ ବହୁମୁଖୀ ସାଧାରଣ ସେବା କେନ୍ଦ୍ରରେ ପରିଣତ କରିବାର ନିଷ୍ପତ୍ତି ନେଇ କାର୍ଯ୍ୟକ୍ରମ ଜାରି ରଖିଛି ।
ଉଦାହରଣ ସ୍ୱରୂପ, ଅଶାୟୀମାନଙ୍କୁ ପାସପୋର୍ଟ ସେବା ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲା ସଦରମହକୁମାରେ ଡାକଘର ପାସପୋର୍ଟ ସେବାକେନ୍ଦ୍ର ପ୍ରତିଷ୍ଠା ନିମିତ୍ତ ଭାରତୀୟ ଡାକ ବିଭାଗ ବହିର୍ବ୍ୟାପାର ମନ୍ତ୍ରାଳୟ ସହ ୨୦୧୭ ମସିହାରେ ଏକ ଚୁକ୍ତି ସ୍ଵାକ୍ଷର କଲେ। ଏ ଯାବତ ଡାକଘର ତା’ର ସମସ୍ତ ୪୨୪ଟି ପାସପୋର୍ଟ ସେବାକେନ୍ଦ୍ରରେ ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଦରଖାସ୍ତ ପ୍ରକ୍ରିୟାକରଣ ସହ ୧୪୧ କୋଟି ଟଙ୍କା ରୁ ଉର୍ଦ୍ଧ୍ଵ ଆୟ କରିପାରିଛି । ସେହିଭଳି ଆଧାର ନାମାଙ୍କନ ଏବଂ ସଂଶୋଧନ କେନ୍ଦ୍ର ହିସାବରେ କାମକରୁଥିବା ସମସ୍ତ ଘରୋଇ ସଂସ୍ଥା ଗୁଡିକୁ ପର୍ୟାୟକ୍ରମେ ବାଦ ଦେଇ ବ୍ୟାଙ୍କ ଓ ଡାକଘର ଜରିଆରେ ନାଗରିକ ମାନଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବାପାଇଁ ଭାରତ ସରକାର ୨୦୧୭ ମସିହାରେ ଏକ ନିଷ୍ପତ୍ତି ନେଲେ ।ତଦନୁଯାୟୀ ଭାରତୀୟ ଡାକ ୧୩୩୫୨ ଡାକ ଘର ଆଧାର ନାମାଙ୍କନ ଓ ସଂଶୋଧନ କେନ୍ଦ୍ର ପ୍ରତିଷ୍ଠା କରି ଅପହଂଚ ଅଂଚଳର ନାଗରିକମାନଙ୍କୁ ଉତ୍କୃଷ୍ଟମାନର ସେବା ପ୍ରଦାନ କରିଆସୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧.୬୯ କୋଟି ଜନତାଙ୍କ ଆଧାର ନାମାଙ୍କନ ଓ ସଂଶୋଧନ ସହ ଡାକ ବିଭାଗ ଅନ୍ୟୁନ ୮୦ କୋଟି ଟଙ୍କା ଆୟ କରିପାରିଛି । ସେହି ଧାରାରେ ସେବା ଅବ୍ୟାହତ ରଖି ଭାରତୀୟ ଡାକ ବିଭାଗ ୭ କୋଟି ଉପଭୋକ୍ତା ବିଲ୍ ତଥା ମନରେଗା ମଜୁରୀ, ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ ପେନ୍ସନ୍ ଯୋଜନା, ବିଧବା ପେନସନ୍ ଯୋଜନା, ଜାତୀୟ ଭିନ୍ନକ୍ଷମ ପେନସନ୍ ଯୋଜନା, ଜନନୀ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଭଳି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତକରଣରେ ଏପର୍ଯ୍ୟନ୍ତ ୩୯୫ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ଲାଭାର୍ଥୀମାନଙ୍କୁ ପ୍ରଦାନ କରିସାରିଛି ।
ସଫଳତାର ସହ ଉପରୋକ୍ତ ନାଗରିକ କେନ୍ଦ୍ରୀତ ସେବା ପ୍ରଦାନରେ ଗ୍ରାହକମାନଙ୍କର ସନ୍ତୁଷ୍ଟିକୁ ପାଥେୟକରି ଭାରତୀୟ ଡାକ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ୬ ହଜାର ଡାକଘରକୁ ବହୁମୁଖୀ ସାଧାରଣ ସେବା କେନ୍ଦ୍ରରେ ପରିଣତ କରି ଦେଶବାସୀଙ୍କୁ ୧୧୧ ପ୍ରକାରର ସେବା ପ୍ରଦାନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରି କାର୍ଯ୍ୟକ୍ରମ ଜାରି ରଖିଛି । ଏହିସବୁ ଡାକଘର ସାଧାରଣ ସେବା କେନ୍ଦ୍ରରେ ଉପଲବ୍ଧ ସେବାଗୁଡିକ ମଧ୍ୟରେ ନିର୍ବାଚନ, ଶ୍ରମ, ପେନସନ୍ ତଥା ରୋଜଗାର ସମ୍ବନ୍ଧୀୟ ସେବା, ସ୍ୱଚ୍ଛ ଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଆୟୁଷ୍ମାନ ଭାରତ ଯୋଜନା ସାଧାରଣ ବଂଟନ ବ୍ୟବସ୍ଥା, ପ୍ୟାନ୍କାର୍ଡ, ଜୀବନ ପ୍ରମାଣ, ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର, ବସ୍, ରେଳ ଓ ବିମାନ ଟିକେଟ୍, ମୋବାଇିଲ, ଡିଟିଏଚ୍ ଓ ଫାସ୍ଟ୍ୟାଗ୍ ରିଚାର୍ଜ. ବିଭିନ୍ନ ରାଜ୍ୟ ସରକାରୀ ଶିକ୍ଷା ତଥା କୃଷି ସମ୍ପର୍କୀୟ ସେବା ପ୍ରଦାନ ଆଦି ପ୍ରମୁଖ ।
ଏସବୁ ବହୁମୁଖୀ ସାଧାରଣ ସେବା କେନ୍ଦ୍ର ଗୁଡିକର ସଫଳତା ବିଶେଷଭାବେ ପୋଷ୍ଟମାଷ୍ଟର, ପୋଷ୍ଟାଲ ଆସିଷ୍ଟାଣ୍ଟ, ପୋଷ୍ଟମ୍ୟାନ୍ ଏବଂ ଏମ୍ଟିଏସ୍ କ୍ୟାଡର୍ କର୍ମଚାରୀମାନଙ୍କର କାର୍ଯ୍ୟକାରିତା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । କିନ୍ତୁ ସମୟୋପଯୋଗୀ ନିଯୁକ୍ତି ନ ଥାଇ ଏସବୁ ପଦବୀଗୁଡିକ ହଜାର ହଜାର ସଂଖ୍ୟାରେ ଖାଲି ପଡିଛି । ଏ ସମ୍ପର୍କରେ ଅଣତାରକା ପ୍ରଶ୍ନ ନମ୍ବର ୮୧୭ର ଉତ୍ତର ରଖି ମାନ୍ୟବର ଯୋଗଯୋଗ କେନ୍ଦ୍ର ମନ୍ତ୍ରୀ ତା ୨୬/୬/୨୦୧୯ରେ ଲୋକ ସଭାରେ ନିମ୍ନୋକ୍ତ ତଥ୍ୟ ପ୍ରଦାନ କରିଥିଲେ ।
କ୍ର.ନ. | ପଦବୀ | ସ୍ୱିକୃତ ପଦବୀ ସଂଖ୍ୟା | ଖାଲିଥିବା ପଦବୀ ସଂଖ୍ୟା |
୧ | ପୋଷ୍ଟମାଷ୍ଟର | ୪୦୫୬୮ | ୧୮୯୯୭ |
୨ | ପୋଷ୍ଟାଲ ଆସିଷ୍ଟାଣ୍ଟ | ୯୭୩୩୬ | ୧୬୭୧୩ |
୩ | ପୋଷ୍ଟମ୍ୟାନ୍ | ୫୯୯୯୨ | ୨୦୯୪୮ |
୪ | ଏମ୍ଟିଏସ୍ | ୩୭୧୫୩ | ୧୧୮୬୦ |
ଏହାବାଦ୍ ଡାକବିଭାଗର ୧.୫୬ ଲକ୍ଷ ଡାକଘର ମଧ୍ୟରୁ ଶତକଡା ୯୦ ଭାଗ ଡାକଘର ନିର୍ଦ୍ଧାରିତ ଆବାସଠାରୁ କମ୍ରେ ଘରୋଇ ଭଡାଘରେ ଚାଲୁଛି । ଏଭଳି ଅଧିକାଂଶ ଡାକଘରେ ଉଭୟ ଗ୍ରାହକ ଏବଂ କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ମୌଳିକ ସୁବିଧା ମଧ୍ୟ ଉପଲବ୍ଧ ନାହିଁ । ଗୋଟିଏ ଛାତ ତଳେ ଉପରୋକ୍ତ ବହୁବିଧ ସେବାଗୁଡିକ ଯୋଗାଇ ଦେବାକୁ ସ୍ଥିର ହୋଇଥିବାବେଳେ ଡାକଘରଗୁଡିକ ନିଶ୍ଚୟ ଗହଳଚହଳ ହେବ ଏବଂ ସନ୍ତୋଷଜନକ ସେବା ପ୍ରଦାନ ପାଇଁ ଅଧିକ କର୍ମଚାରୀଙ୍କର ଆବଶ୍ୟକତା ପଡିବ । ତେଣୁ ନିଜର ସୁନାମକୁ ବଜାୟ ରଖି ତ୍ୱରିତ ଗ୍ରାହକ ସେବା ଯୋଗାଇବାକୁ ଡାକବିଭାଗ ସମସ୍ତ ବ୍ୟବସ୍ଥା ଓ ପରିବେଶକୁ ସୁଦୃଢ କରି ଖାଲିପଡିଥିବା ସମସ୍ତ ପଦବୀଗୁଡିକ ପୂରଣ କରିବା ପାଇଁ ପ୍ରାଥମିକତା ଦେବାକୁ ପଡିବ ।
ବୃହସ୍ପତି ସାମଲ
ପରିମଣ୍ଡଳ ସମ୍ପାଦକ(ପି-୩)
ଡାକ କର୍ମଚାରୀ ରାଷ୍ଟ୍ରୀୟ ମହାସଂଘ
ଓଡ଼ିଶା, ଭୁବନେଶ୍ୱର-୭୫୧୦୦୭
No comments:
Post a Comment